ଭୟ(Fear) Poem by Tripati Narayan Mishra

ଭୟ(Fear)

ଭୟ
ପ୍ରବେଶ ପୂର୍ବରୁ ନଦୀ ଦେଖେ ରତ୍ନାକର
ଆନନ୍ଦିତ ମନ ତାର ହୁଏ ଭୟାତୁର ।
ଯାହାଙ୍କ ମିଳନ ପାଇଁ ଥିଲା ବ୍ୟାକୁଳତା
ତାହାଙ୍କ ଦର୍ଶନ ମାତ୍ରେ ବୃଦ୍ଧି ହୁଏ ଚିନ୍ତା।
ନିଜ ଅତିକ୍ରମ ପଥ ବୁଲି ଚାହେଁ ନଦୀ
ପର୍ବତ ସିଖରୂ ଖସି ଗ୍ରାମ୍ୟ ଅରନ୍ୟାଦି।
ରୋକିପାରିନାହିଁ କେଉଁ ଘାତ ବାଧାବିଘ୍ନ
ଦୁର୍ବାର ପ୍ରତିଜ୍ଞା ତାର ଲକ୍ଷ୍ୟ ହିଁ ମିଳନ।
ଏବେ କିନ୍ତୁ ସମ୍ମୁଖରେ ବିଶାଳ ସାଗର
ମିଳନ ମାନେ ନିଶ୍ଚିହ୍ନ ହେବ ସତ୍ତା ତାର।
ପୂର୍ଣ୍ଣଛେଦ ଏଠି ତାର ସ୍ଵ ପରିଚୟ।
ସେହିଚିନ୍ତା କଲାକ୍ଷଣି ସୃଷ୍ଟି ହୁଏଭୟ।
ଅଗ୍ରସର ଛଡା ନାହିଁ ଅନ୍ୟହିଁ ବିକଳ୍ପ
ନଦୀ କଣ ସଭିଙ୍କର ଏହା କାୟାକଳ୍ପ।
ପଛକୁ ଫେରିବା ତେଣୁ ଅଟେ ଅସମ୍ଭବ
ସାହାସ କରିପାରିଲେ ବଢିବ ବୈଭବ।
ନଦୀ ବୁଝିପାରେ ବାସ୍ତବତା ଜୀବନର
ନିଜ ପରିଚୟ ତାର ହୁଏ ରତ୍ନାକର।
ନିଜେ ଏକ ଅଂଶ ହୁଏ ବିଶାଳ ସିନ୍ଧୁର
ଭୟ ଛାଡି ଆଗେଇବା ନିୟମ ସୃଷ୍ଟିର।
ତ୍ରିପତୀ ନାରାୟଣ ମିଶ୍ର।

COMMENTS OF THE POEM
READ THIS POEM IN OTHER LANGUAGES
Close
Error Success