ମୋ ସହର
ଗଜାନନ ମିଶ୍ର
1
ବହୁତ କିଛି ଭୋଗୁଛି
ଏବେ ଏ ସହର।
କିଏ କେତେବେଳେ
କେଉଁଆଡକୁ ଯାଉଛି ଚାଲି
ପତ୍ତା ପାଉ ନି କାହାର।
ମୋ ସହରର ଅବସ୍ଥା
ଆଉ ନ ପଚାର।
ପାଦପଟରୁ ଚପେଇଆଣୁଛି
ଠିଆ କାକର।
ନିଶାସକ୍ତ ସୂର୍ଯ୍ୟ।
ମୋ ସହର ତୁମର!
ଆଉ ତୁମେ ଅଛ!
ଥାଇ ଥାଇ କରୁଛି କଣ
ନିଜକୁ ଦିଅ ନିଜର ଉତ୍ତର।
ସହରର ଅନ୍ଧାର
ସତେଜ ଆଉ ଆଉ ଦେଖ
ସେଥିରେ ନିଜକୁ ପରଖ।
ସହର ଥିବ ନା
ଥିବ ତୁମେ!
2
ସହର କଥା
ନ କହିବା ଭଲ।
ସହର ଯେ ଆଉ
ସହର ହୋଇ ନାଇଁ
ଏ କଥା ସଭିଙ୍କୁ ଗୋଚର।
ଥାଉ ତେବେ
କୋଉ ପବନରେ
କେତେ ହଲୁଛି କୋଉ ପତର
କେତେ ବୁଲୁଛି ରଙ୍ଗ କାହାର
ସେସବୁ ଭାବି
ହେବା ନି ହରବର।
ପଚାରିବା ନିଜକୁ
ନିଜ ପାଇଁ ନିଜେ କେତେ ତୟାର।
ମାଟି ଆଉ ଆକାଶକୁ ମନ୍ଥି
ଇଏ ଫୁଟାଉଛି କୋଉ ଫୁଲ,
ସେସବୁ ନ କହିବା ଆହୁରି ଭଲ।
ଏ ସହରକୁ ଆଉ ଦେଖିବାକୁ
ଥିବ କି ଆଗାମୀ କାଲିର ସକାଳ?
ତପୋବନ, ଟିଟିଲାଗଡ, ବଲାଙ୍ଗୀର
3/12/2020
This poem has not been translated into any other language yet.
I would like to translate this poem
ମୋ ସହରର ଅବସ୍ଥା ଆଉ ନ ପଚାର। ପାଦପଟରୁ ଚପେଇଆଣୁଛି ଠିଆ କାକର। ନିଶାସକ୍ତ ସୂର୍ଯ୍ୟ। Wonderful.........................Well penned....5 stars